Tuesday, 2 October 2018

ଶିଶୁ ମନ୍ଦିରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ


ଭଦ୍ରକ,୨ା୧୦: ସ୍ଥାନୀୟ ଗାନ୍ଧି ପଡ଼ିଆସ୍ଥିତ ମଞ୍ଜୁଳମଞ୍ଜରୀ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ମହାତ୍ମା ଗାନ୍ଧୀ ଓ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ଅନୁଷ୍ଠାନର ସଭାପତି ଡ଼ା. ସୁଧୀର ରଂଜନ ନାୟକଙ୍କ ସଭାପତିତ୍ୱରେ ପାଳିତ ହୋଇଯାଇଛି । ପ୍ରାରମ୍ଭରେ ଗାନ୍ଧିଜୀଙ୍କ ପ୍ରିୟ ଧୂନ ଗାନ ଓ ଅଭୟ ଦାସଙ୍କ ଏକକ ସଂଗୀତ ପରିବେଷଣ ପରେ ପ୍ରଧାନ ଆଚାର୍ଯ୍ୟ ପୁରୁଜିତ ମୁନୀ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଭାବେ ପ୍ର. ବଳରାମ ମିଶ୍ର ଯୋଗଦେଇ ଗାନ୍ଧିଜୀଙ୍କ ଦର୍ଶନର ପ୍ରାସଙ୍ଗିକତା ଆଜି ମଧ୍ୟ ରହିଛି ବୋଲି ଦର୍ଶାଇଥିଲେ । ମୁଖ୍ୟବକ୍ତା ଭାବେ ଇଂ ଅଭୟ ସୂତାର ଯୋଗଦେଇ ଗାନ୍ଧୀ ଦର୍ଶନର ଚିନ୍ତନ ଉପରେ ବକ୍ତବ୍ୟ ରଖିବା ସହ ଶାସ୍ତ୍ରୀଙ୍କ ପରି ସଚ୍ଚୋଟ ଓ ନିତୀନିଷ୍ଠ ହେବାକୁ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆଚାର୍ଯ୍ୟ ରମାକାନ୍ତ ଦାସ ଓ ରମାକାନ୍ତ ନାଥ ମଧ୍ୟ ବକ୍ତବ୍ୟ ରଖିଥିଲେ

Tuesday, 25 September 2018

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଛାତ୍ର ଇସ୍ରୋର ବୈଜ୍ଞାନିକ


ଅନୁଗୋଳ,୨୫ ।୯  : କଠିନ ପରିଶ୍ରମ ଓ ନିଷ୍ଠାପର ସାଧନା ଯେକୌଣସି ସାଧକକୁ ବଡ଼ ସଫଳତା ଦେଇଥାଏ । ସେହିଭଳି ଜଣେ ଅନନ୍ୟ ପ୍ରତିଭା ହେଲେ ଅନୁଗୋଳ ଜିଲ୍ଲା ପୂର୍ତ୍ତ ବିଭାଗ କଲୋନୀରେ ରହୁଥିବା ନାରାୟଣ ଦେହୁରୀ ଓ ନନ୍ଦିନୀ ବେହେରାଙ୍କ ବଡ଼ପୁଅ ନଗେନ୍ଦ୍ର ଦେହୁରୀ । ମାତ୍ର ୨୪ ବର୍ଷ ବୟସରେ ଅପୂର୍ବ ସଫଳତା ପାଇଛନ୍ତି । ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଦ୍ୱାରା ଚଳିତ ୨୦୧୮ ବର୍ଷ ଇଲେକ୍ରେ୍ଟାନିକ୍ସ ଶାଖାର ବୈଜ୍ଞାନିକ ତଥା ଯନ୍ତ୍ରୀ ପଦ ପାଇଁ ହୋଇଥିବା ପରୀକ୍ଷାରେ ସର୍ବ ଭାରତୀୟ ସ୍ତରରେ ସଫଳତା ପାଇଥିବା ୩୭ ଜଣଙ୍କ ମଧ୍ୟରୁ ୭ମ ସ୍ଥାନ ଅଧିକାରୀ । ନଗେନ୍ଦ୍ର କେବଳ ଅନୁଗୋଳ ଜିଲ୍ଲା ନୁହେଁ ସାରା ରାଜ୍ୟ ପାଇଁ ଆଣିଛନ୍ତି ଗୌରବ । ଏହି ପରୀକ୍ଷାରେ ପ୍ରାୟ୧ଲକ୍ଷ ପ୍ରାର୍ଥି ଲିଖିତ ପରୀକ୍ଷା ଦେଇଥିବା ବେଳେ ତନ୍ମଧ୍ୟରୁ ୭୭୦ ଜଣ ଚୟନ ହୋଇଥିଲେ । ଆଉ ସେମାନଙ୍କ ମଧ୍ୟରୁ ମାତ୍ର ୩୭ଜଣ ନିଯୁକ୍ତି ପାଇଛନ୍ତି । ସପ୍ତମ ସ୍ଥାନରେ ଅଛନ୍ତି ନଗେନ୍ଦ୍ର । ନଗେନ୍ଦ୍ରଙ୍କ ପାଇଁ ଏହି ସଫଳତା ପାଇଁ ବିଭିନ୍ନ ମହଲରୁ ଅଭିନନ୍ଦନର ବାର୍ତ୍ତା ଛୁଟିଛି । ନଗେନ୍ଦ୍ର ପିଲାଟି ଦିନରୁ ଜଣେ ମେଧାବୀ ଛାତ୍ର ଥିଲେ । ପାଠ ବ୍ୟତୀତ ପ୍ରୟୋଗ ବିଜ୍ଞାନ ବା ମହାକାଶ ଗବେଷଣା କ୍ଷେତ୍ରରେ ମଧ୍ୟ ତାଙ୍କର ରୁଚି ରହିଥିଲା । ଯାହା ଆଜି ତାଙ୍କୁ ଏହି ସଫଳତା ଦେଇଛି ବୋଲି କହନ୍ତି ନଗେନ୍ଦ୍ର । ନଗେନ୍ଦ୍ରଙ୍କ ପ୍ରାଥମିକ ଶିକ୍ଷା ପ୍ରଥମ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ହୋଇଥିବା ବେଳେ କଲେଜ ଜୀବନ ରାଜଧାନୀ ଭୂବନେଶ୍ୱର ଓୟୁଏଟିର ବେସିକ୍‍ ସାଇନ୍ସ କଲେଜରେ ଓ ବି-ଟେକ୍‍ ଏନ୍‍ଆଇଟି ରାଉରକେଲାରେ ହୋଇଥିଲା । ନଗେନ୍ଦ୍ର ଗରିବ ପରିବାରରୁ ଆସିଥିବାବେଳେ ବାପାଙ୍କର ସ୍ୱଳ୍ପ ବେତନ ତାଙ୍କ ଉଚ୍ଚ ଶିକ୍ଷା ଅଥବା ଆଗକୁ ପଢ଼ିବାରେ ବହୁତ କଷ୍ଟ ଦେଉଥିଲା । ତେବେ ଏ ସମସ୍ୟାର ସମାଧାନ ନିମନ୍ତେ ତାଙ୍କ ସହିତ ଏନଆଇଟିରେ ପାଠ ପଢ଼ୁଥିବା ଜଣେ ସହପାଠୀଙ୍କ ସହିତ ମିଶି ଫୋନିକ୍ସ ଏବଂ ରୋବୋଟିକ୍ସ ପ୍ରାଇଭେଟ ଲିମିଟେଡ଼ ନାମକ ଏକ ସଂସ୍ଥା ଗଠନ କରିଥିଲେ । ଯାହାର କାର୍ଯ୍ୟ ପ୍ରଦୂଷଣ ମାପ ଡ଼ିଭାଇସ ତିଆରି କରିବା । ତେବେ ମହାକାଶ ଗବେଷଣା କ୍ଷେତ୍ରରେ କାମ କରିବା ନିଶା ତାଙ୍କୁ ନିଜ ହାତରେ ତିଆରି କରିଥିବା କମ୍ପାନୀକୁ ଛାଡ଼ିବାକୁ ବାଧ୍ୟ ହେଲା । ତାପରେ ଇସ୍ରୋ ପରୀକ୍ଷା ପାଇଁ ପ୍ରସ୍ତୁତି ଆଉ କଠିନ ପରିଶ୍ରମ ଶେଷରେ ତାଙ୍କୁ ସଫଳତା ମିଳିଛି । ଆସନ୍ତା ୨୫ ତାରିଖ ନଗେନ୍ଦ୍ର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ର ‘ଶାର’କୁ କାର୍ଯ୍ୟରେ ଯୋଗ ଦେବା ନିମନ୍ତେ ଯିବେ । ନଗେନ୍ଦ୍ରଙ୍କ ଏହି ସଫଳତାରେ ପରିବାର ଓ ବନ୍ଧୁ ବାନ୍ଧବ ମହଲରେ ବେଶ୍‍ ଖୁସି ଆଣି ଦେଇଛି ।

Monday, 24 September 2018

ବିଭାଗ ଓ ସମ୍ଭାଗସ୍ତରୀୟ ଜ୍ଞାନବିଜ୍ଞାନ ମେଳା

ତାଳଚେର,୨୪/୯: ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ତାଳଚେର ପ୍ରାଙ୍ଗଣରେ ବିଦ୍ୟାଭାରତୀ, ଶିକ୍ଷା ବିକାଶ ସମିତି, ଓଡ଼ିଶାଙ୍କ ଯୋଜନା ଆଧାରରେ ବିଭାଗ ଓ ସମ୍ଭାଗସ୍ତରୀୟ ଜ୍ଞାନବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥିଭାବେ ତାଳଚେର ପୈାର କାର୍ଯ୍ୟ ନିର୍ବାହୀ ଅଧିକାରୀ ଅତସୀ ପରିଡ଼ା,ମୂଖ୍ୟ ବକ୍ତାଭାବେ ବୈଦିକ ଗଣିତ,ଅଖିଳ ଭାରତୀୟ ସହସଂଯୋଜକ ପ୍ରସନ୍ନ କୁମାର ସାହୁ ଯୋଗଦାନ କରିଥିଲେ । ସରସ୍ୱତୀ ବିଦ୍ୟାମନ୍ଦିର,ତାଳଚେରର ପ୍ରଧାନାଚାର୍ଯ୍ୟ ହେମନ୍ତ କୁମାର ପ୍ରଧାନ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଏଥିରେ ୧୭୮ଜଣ ପ୍ରତିଯୋଗୀ ଭାଗ ନେଇଥିବା ବେଳେ ବିଭିନ୍ନ ସଙ୍କୁଳରୁ ଚୟନିତ ୨୨ଟି ବିଜ୍ଞାନ ପ୍ରକଳ୍ପ,୧୦ଟି ଗଣିତ ଚାର୍ଟ ପ୍ରଦର୍ଶିତ ହୋଇଥିଲା । ଉକ୍ତ ଜ୍ଞାନ ବିଜ୍ଞାନ ମେଳା ୧୭ଜଣ ପରିଚାଳକ,୧୭ଜଣ ବିଚାରକ ଓ ୪୪ ଜଣ ଗୁରୁଜୀ,ଗୁରୁମାଙ୍କ ଦ୍ୱାରା ପରିଚାଳିତ ହୋଇଥିଲା । ଶେଷରେ ବିଦ୍ୟାଳୟର ସମ୍ପାଦକ ଦୁଃଶାସନ ସାହୁ ଧନ୍ୟବାଦ ପ୍ରକଟ କରିଥିଲେ । ସେହିପରି ମେଳାର ସମାପନ ଉତ୍ସବ ୧୯ ତାରିଖରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମୂଖ୍ୟ ଅତିଥିଭାବେ ତାଳଚେର କଲେଜ ଉଦ୍ଭିଦ ବିଜ୍ଞାନ ବିଭାଗୀୟ ମୂଖ୍ୟ ଯଶୋବନ୍ତ ନାରାୟଣ ବେହେରା ଯୋଗଦାନ କରି ପ୍ରତିଭାଗୀମାନଙ୍କୁ ସାମ୍ପ୍ରତିକ ସମାଜରେ ନୂତନ ପ୍ରକଳ୍ପର ଆବଶ୍ୟକତା ଓ ଉପଯୋଗିତା ଉପରେ ଆଲୋକପାତ କରିଥିଲେ । ମୂଖ୍ୟବକ୍ତା ଭାବେ ପ୍ରାନ୍ତ ଶିଶୁବାଟିକା ଶୈକ୍ଷିକ ସଂଯୋଜକ ପ୍ରଦୀପ କୁମାର ମଲ୍ଲିକ ଯୋଗ ଦେଇଥିଲେ । କୃତୀ ଛାତ୍ରଛାତ୍ରୀମାନଙ୍କୁ ମୂଖ୍ୟ ଅତିଥି, ମୁଖ୍ୟବକ୍ତା ଓ ଅନ୍ୟାନ୍ୟ ଅଧିକାରୀମାନେ ପୁରସ୍କୃତ କରିଥିଲେ ।